ଶିଶୁ ଦିବସରେ ଶିକ୍ଷକଙ୍କ ନିଆରା ପ୍ରୟାସ, ଚର୍ଚ୍ଚାରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ, ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟରେ ଧୁମ୍ଧାମରେ ପାଳିତ ହେଲା ଶିଶୁ ଦିବସ ।
sumanta swain | 14 Nov 2026 | 9 min read | 5 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଶିଶୁ ହେଉଛନ୍ତି ଆଗାମୀ ଭବିଷ୍ୟତର ଭବିଷ୍ୟତ ନାଗରିକ । ସେମାନଙ୍କ ହସ, ଖୁସି ଓ ଲୁକ୍କାୟିତ ପ୍ରତିଭାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳିତ ହୁଏ ଶିଶୁ ଦିବସ । ତେବେ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟ । ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କ ଏହି ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ ।କୁନି କୁନି ପିଲାଙ୍କ ହସରେ ହସି ଉଠିଥିଲା ପୂରା ବିଦ୍ୟାଳୟ ପରିବେଶ । କେଉଁଠି ପିଠାପଣା ଓ ମିଠାର ଆସର ତ ଆଉ କେଉଁଠି ଚିତ୍ରାଙ୍କନ ଓ ନୃତ୍ୟର ମନୋରମ ପରିବେଶ । ଶିଶୁ ଦିବସ ଅବସରରେ ସରକାରୀ ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ନିଆରା ଆୟୋଜନ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କ ପ୍ରୟାସରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜେ ଛାତ୍ରଛାତ୍ରୀଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ । ପିଲାମାନଙ୍କ ଖୁସିକୁ ଗୁରୁତ୍ୱ ଦେଇ ଶିକ୍ଷକମାନେ ସେମାନଙ୍କ ସହ ଉତ୍ସବରେ ସାମିଲ ହୋଇଥିଲେ । ଶିଶୁଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ ଓ ସେମାନଙ୍କୁ ପାଠପଢ଼ା ସହିତ ସୃଜନଶୀଳ କାର୍ଯ୍ୟରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।
୨ ଶିଶୁ ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରତ୍ୟେକ ଶିଶୁକୁ ଉତ୍ତମ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମାନ ଅଧିକାର ପ୍ରଦାନ କରିବାର ଏକ ସଂକଳ୍ପ । ଏହି ଦିନରେ ପିଲାମାନଙ୍କ ମନରେ ଖୁସି ଭରିବା ସହ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।
ବିଦ୍ୟାଳୟର ଏହି ନିଆରା ଆୟୋଜନରେ ଛାତ୍ରଛାତ୍ରୀ ମାନେ ବେଶ୍ ଉତ୍ସାହର ସହ ଭାଗ ନେଇଥିଲେ । ନାଚ, ଗୀତ, ଚିତ୍ରାଙ୍କନ ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ମସଗୁଲ ହୋଇଥିଲେ କୁନି କୁନି ପିଲା । ଏଭଳି ନିଆରା ଆୟୋଜନ ପାଇଁ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ ।
ଶିଶୁଙ୍କ ମୁହଁରେ ହସ ଫୁଟିଲେ ହିଁ ସାର୍ଥକ ହେବ ଶିଶୁ ଦିବସର ପ୍ରକୃତ ଉଦ୍ଦେଶ୍ୟ । ଶିଶୁଙ୍କ ସ୍ୱପ୍ନକୁ ସମ୍ମାନ ଓ ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ହିଁ ଏକ ସୁନ୍ଦର ଭବିଷ୍ୟତ ଗଠନର ପ୍ରଥମ ପାହାଚ । ଏହି ନିଆରା ପ୍ରୟାସ ମାଧ୍ୟମରେ ଶିଶୁଙ୍କ ମନରେ ଖୁସି ଭରିବା ସହ ଏକ ଶିକ୍ଷଣୀୟ ବାର୍ତ୍ତା ଦେଇଛି ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

